Unknown

 

 

 

 

 

 

 

 

 

 

କରୁଣା ସାଗର ଅନାଦି ଈଶ୍ୱର

ଭକ୍ତ ଜୟକୃଷ୍ଣ

 

(ଓଡ଼ିଆ ସାହିତ୍ୟରେ ଦୁଇ ଜଣ ଜୟକୃଷ୍ଣଙ୍କୁ ଦେଖୁ । ଜଣେ ଅଷ୍ଟାଦଶ ଶତାବ୍ଦୀର କବି-। ସେ “ତତ୍ତ୍ୱଜ୍ଞାନ ଭଜନ’ ବା ‘ବ୍ରହ୍ମତତ୍ତ୍ୱ ଭଜନ’ ରଚନା କରିଛନ୍ତି । ଅନ୍ୟ ଜଣେ କବି ଜୟକୃଷ୍ଣ ହେଉଛନ୍ତି ଊନବିଂଶ ଶତାବ୍ଦୀର । ସେ କେତେକ ମହିମାଧର୍ମ ସମ୍ପର୍କିତ ଭଜନ ଓ ଜଣାଣର ସ୍ରଷ୍ଟା । ଏ ସବୁ ‘ପ୍ରାଚୀ ସମିତି ଦ୍ୱାରା ‘ଜୟକୃଷ୍ଣ ଭଜନ’ ନାମରେ ପ୍ରକାଶ ପାଇଛି । ପ୍ରାୟ ପନ୍ଦରରୁ ଊର୍ଦ୍ଧ୍ୱ ଅଲେଖ ଧର୍ମ ସମ୍ପର୍କିତ ଭଜନ ଜଣାଣ ଚଉତିଶା କବିଙ୍କ ନାମରେ ରହିଛି । ଆମେ କେତୋଟି ଚଉତିଶାକୁ ଏଠାରେ ଆଲୋଚନା ପର୍ଯ୍ୟାୟଭୁକ୍ତ କରିଛୁ । କବି ଜୟକୃଷ୍ଣ ଭକ୍ତ ଜୟକୃଷ୍ଣ ଭାବେ ପରିଚିତ । ତାଙ୍କର ଭଜନ ଗୁଡ଼ିକ ଅଲେଖ ଧର୍ମର ମହିମା, ଭକ୍ତି ଭାବନା ଉପରେ ଆଧାରିତ ।)

 

କରୁଣା ସାଗର ଅନାଦି ଈଶ୍ୱର କର କୃପା ବାରେ ଶୂନ୍ୟବାସୀ ।

କ୍ଷିତିମଣ୍ଡଳରେ ତୁମ୍ଭ ପରା ପ୍ରଭୁ ଥାଉଣ ମୁଁ ଯାଉଅଛି ଭାସି ।

ଗୁରୁ ମହିମା ହେ ।

ଘୋଟିଅଛି ତ୍ରିଭୁବନ ମହୀ ।

ଅନାଥ ହେଉଛି କେଉଁ ପଥେ ଯିବି ତ୍ରିଭୁବନେ ଠାବ ମିଳୁନାହିଁ ।।

 

ଚିନ୍ତା ସାଗରରେ ଭେଳା ବୁଡ଼ୁଅଛି ଚାହିଁଲେ ନ ଦିଶେ ଦିଗ ମୋତେ ।

ଛାତି ଫୁଲାଇ ତର୍ଜନ କରୁଅଛି ଦୁଷ୍ଟଙ୍କ ଭାଷା ସହିବି କେତେ ।

ଯୋଗ ଯୋଗୀନ୍ଦ୍ର ହେ ।

ଝାଡ଼ ଭିତରେ ପଡ଼ିଛି ଏକା ।

ନିଜ ମହିମାକୁ ଆଶ୍ରୟ କରିଛି କେହି ନାହିଁ ମୋର ସଙ୍ଗ ସଖା ।।

 

ଟିଆ କଣ୍ଟ ଦେଇ ଯାଇଥିଲ ପ୍ରଭୁ ଟଳିବ ପରା ଅବନୀ ଭାର ।

ଠାକୁରଙ୍କ କଥା ନୁହଇ ଅନ୍ୟଥା ନ ମେଣ୍ଟେ କେବେ ପାଷାଣ ଗାର ।

ଡାକି କହୁଛି ହେ ।

ଢାଉରଙ୍ଗେ ସର୍ବେ ହେଲେ ବାଇ ।

ଅମଳେଣ କୁଳେ ମେଳ ପାଞ୍ଚୁଛନ୍ତି କେ ସହିବ ନର ଦେହ ବହି ।।

 

ଭାବାର୍ଥ- (କ-ଣ) ହେ ଶୂନ୍ୟବାସ, କରୁଣୀସାଗର, ଅନାଦି ଈଶ୍ଵର ମୋତେ କୃପା କର-। ସଂସାର ମଧ୍ୟରେ ତୁମ ପରି ପ୍ରଭୁ ଥାଉଁ ଥାଉଁ ମୁଁ ଭାସି ଯାଉଛି । ହେ ଗୁରୁ ମହିମା, ତୁମେ ତିନି ଭୁବନରେ ବ୍ୟାପି ରହିଛି । ମୋତେ ଯିବା ପାଇଁ ରାସ୍ତା ମିଳୁନାହିଁ । ବେଳକୁ ବେଳ ମୁଁ ଅନାଥ ହୋଇ ପଡ଼ୁଛି । ଚିନ୍ତା-ସାଗରରେ ମୋର ଭେଳା ବୁଡ଼ିଯାଉଛି । ଚାହିଁଲେ ଚାରିଆଡ଼େ ଅନ୍ଧାର ଦିଶୁଛି । ଯୁଆଡ଼େ ଯାଉଛି, ଦୁଷ୍ଟ ଦୁର୍ଜନଙ୍କ କଟୁବଚନ ଶୁଣୁଛି । ଛାତି ଫୁଲାଇ ଗର୍ଜନ ତର୍ଜନ କରୁଛନ୍ତି । ଏ ସବୁ କେତେ ସହିବି ?

 

ହେ ଯୋଗ ଯୋଗୀନ୍ଦ୍ର, ଝାଡ଼ (ବଣ) ମଧ୍ୟରେ ମୁଁ ଏକା ପଡ଼ିଛି । ମୋର ସାଙ୍ଗ, ସଖା କେହି ନାହାନ୍ତି । ତୁମ ମହିମାକୁ କେବଳ ଆଶ୍ରୟ କରିଛି । ପୃଥିବୀର ଭାରକୁ ଉଶ୍ୱାସ କରିବାକୁ ତୁମେ ଏଠାରେ ଜନ୍ମ ନେଇଛ । ଠାକୁରଙ୍କ କଥା କେବେ ଅନ୍ୟଥା ହୁଏ ନାହିଁ । ପାଷାଣରେ କେବେ ଗାର ପଡ଼େନାହିଁ । ହେ ପ୍ରଭୁ, (ଢାଉ) ଗେରୁଆ ମାଟି ରଙ୍ଗ ପାଇଁ ସମସ୍ତେ ବାଇ ହେଉଛନ୍ତି । ଅମେଳଣ କୁଳରେ ଅର୍ଥାତ୍ ମେଳ ମଧ୍ୟରେ ନା ରହୁଥିବା ଲୋକଙ୍କ ସଙ୍ଗରେ ବସି ମେଳ ପାଞ୍ଚୁଛନ୍ତି, ନର ଦେହ ଧାରଣ କରି ଏ ସବୁକୁ କିଏ ସହିବ ?

 

ତାନ କରି ତାଳି ମାରି ଦେଉଛନ୍ତି ହାସ୍ୟ କରି କହୁଛନ୍ତି କଥା ।

ଥୟ ହେଉ ନାହିଁ ପଞ୍ଚଭୂତ ଆତ୍ମା ଡରେ ନୁଆଁଇ ବସିଛି ମଥା ।

ଦୀନ ଦୟାଳୁ ହେ ।

ଧର୍ମ ଅପରାଧୀ ଅଟେ ଯଦି ।

ନିଜ ଗୁରୁଦେବ ଜାଣି ଦଣ୍ଡ ଦିଅ ନୋହିଲେ ଏ ଶିର ଦିଅ ଛେଦି ।।

 

ପିଣ୍ଡକୁ ଭୋ ପ୍ରଭୁ ଭୟ ମାଡ଼ୁଅଛି

ଦେଖି ଅନ୍ୟାଚାର ଦୁରୁଦଣ୍ଡ ।

ଫେଡ଼ି କହୁଅଛି ଶିରେ କରଯୋଡ଼ି ଅଭୟ ପାଦେ ସମର୍ପି ପିଣ୍ଡ ।

ବାନା ଉଡ଼ୁଛି ହେ ।

ଭାରା କରିବ ପରା ଉଶ୍ୱାସ ।

ମହିମା ନାମକୁ ନିନ୍ଦା କରୁଛନ୍ତି ମଣୁଛନ୍ତି ଅଣ ଅବିଶ୍ୱାସ ।।

 

ଜାତିରୁ ଅଜାତି କରି ଦେଉଛନ୍ତି ଜଣା ନାହିଁ ସତ୍ୟଯୁଗ ଧାରା ।

ରଜ ତମ ଗୁଣେ ପଡ଼ି ମୂଢ଼ ପଣେ ନିତ୍ୟେ କରୁଚନ୍ତି ପରଦାରା ।

ଲାଳି ସେ ପଡ଼ି ହେ ।

ବ୍ରହ୍ମାଣ୍ଡେ ହେଲେଣି ପରପଞ୍ଚ ।

ଶ୍ରୀବନ୍ତ ହୋଇ ଜଣକେ ଦେଖା ନାହିଁ ମିଥ୍ୟା କହି ଖାଉଛନ୍ତି ଲାଞ୍ଚ ।।

 

 

 

ଶ୍ରୀଚରଣ ତଳେ ଶରଣ ପଶୁଛି ଦନ୍ତରେ ଧରିଣ ତିରଣ ।

ସ୍ୱାମୀଙ୍କ ପାଦେ ମୋ ସକଳ ଭରସା କେଉଁ କଥା ସ୍ୱାମୀତ ନଜାଣ ।

ହେଳା ନ କରି ହେ ।

ହରଷରେ ବୁଝାମଣା ହେଉ,

କ୍ଷମ ଜୟୀ ହୀନ କଲି ଯା ଜଣାଣ କ୍ଷିତି ମଧ୍ୟେ ତୁମ୍ଭ ଯଶ ରହୁ ।।

 

ଭାବାର୍ଥ- (ତ-କ୍ଷ) ପ୍ରଭୁ, ଦୁଷ୍ଟଙ୍କ କଥା ଦୀନକୁ ଅସହ୍ୟ ହେଉଛି । ସେମାନେ ବିଭିନ୍ନ ଶବ୍ଦ କରି ତାଳିମାରି ଆମକୁ ଚିଗୁଲେଉଛନ୍ତି । ନାନା ପ୍ରକାର ହାସ୍ୟ କଥା କହି ଆକ୍ଷେପ କରୁଛନ୍ତି । ପଞ୍ଚଭୂତ ଆତ୍ମା ଥୟ ହେଉନାହିଁ । ଭୟରେ ମୁଣ୍ଡ ତଳକ କରି ବସିଛି । ହେ ଦୀନବନ୍ଧୁ, ମୁଁ ଯଦି ଧର୍ମ ଅପରାଧୀ, ମୋତେ ଦଣ୍ଡ ଦିଅ । ନୋହିଲେ ମୋର ଶିରଚ୍ଛେଦ କରିଦିଅ । ଭୋ ପ୍ରଭୁ, ଦୁଣ୍ଡ, ଅନାଚାର ଦେଖି ଭୟ ଲାଗୁଛି । କରଯୋଡ଼ି ପିଣ୍ଡକୁ ତୁମର ଅଭୟ ପାଦରେ ସମର୍ପଣ କରି, ତୁମ ଆଗରେ ମୋର ଦୁଃଖକୁ କହୁଛି । ଜଗତର ଭାରାକୁ ଉଶ୍ୱାସ କରିବ ବୋଲି ତୁମର ବାନା ଉଡୁଛି । ଦୁଷ୍ଟମାନେ ମହିମା ନାମକୁ ନିନ୍ଦା କରୁଛନ୍ତି, ତୁମର ନାମକୁ, ଗରିମାକୁ ଅବିଶ୍ୱାସ କରୁଛନ୍ତି ।

 

ହେ ପ୍ରଭୁ, ଏହି ଲୋକମାନେ ସତ୍ୟଯୁଗର ଧାରାକୁ ଭୁଲିଯାଇଛନ୍ତି । ଜାତିରୁ ଅଜାତି କରି ଦେଉଛନ୍ତି । ରଜ, ତମ ଗୁଣରେ ପଡ଼ି ମୂଢ଼ ପଣ ଆଚରଣ କରୁଛନ୍ତି । ପରଦାରା ହରଣରେ ସର୍ବଦା ଲିପ୍ତ ରହୁଛନ୍ତି । ସ୍ଵାର୍ଥର ଲାଳସାରେ ପଡ଼ି ବ୍ରାହ୍ମଣମାନେ ନିଜର ଧର୍ମକର୍ମ ଭୁଲି ଗଲେଣି । ଅନୀତି, ଅନାଚାରରେ ମାତିଛନ୍ତି । ଜଣେ ମଧ୍ୟ ବ୍ରାହ୍ମଣ ଶ୍ରୀବନ୍ତ ହେବାର ଦେଖାନାହିଁ । ମିଥ୍ୟ, ଲାଞ୍ଚରେ ସେମାନେ ବୁଡ଼ି ଯାଇଛନ୍ତି । ହେ ପ୍ରଭୁ, ହେ ସ୍ୱାମୀ, ଦନ୍ତରେ ତିରଣ ଧରି ତୁମ ଶ୍ରୀଚରଣ ତଳେ ଶରଣ ପଶୁଛି । ସ୍ୱାମୀଙ୍କ ପାଦ ମୋର ସକଳ ଭରସା । ହେ ପ୍ରଭୁ, ତୁମକୁ କେଉଁ କଥା ବା ଅଜଣା ? ହେଳା ନ କରି ମୋତେ ଦୟାକର । ସଂସାର ମଧ୍ୟରେ ତୁମର ଯଶ ରହୁ । ହୀନ ଜୟକୁ କ୍ଷମା କର ।

Image